ବାଲେଶ୍ୱରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ


ବାଲେଶ୍ୱର (ଲକ୍ଷ୍ମୀଧର ବାରିକ) ବାଲେଶ୍ୱର ସଦର ମହକୁମାସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ଼ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଯୋଗ ଦେଇ ସକାଳ ଘ୯.୧୫ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ଦବୋଧନ ଦେଇଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବାଲେଶ୍ୱର ଜିଲ୍ଲାର ଅବଦାନ ଉପରେ ଆଲୋକପାତ କରି ନୀଳଗିରି ପ୍ରଜାମଣ୍ଡଳ ବିଦ୍ରୋହ, ଇଂଚୁଡି ଲୁଣମରା ଆନ୍ଦୋଳନ, ତୁଡିଗଡିଆ ଆନ୍ଦୋଳନ, ବାଘା ଯତୀନ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତିଚାରଣ କରିଥିଲେ। ସେହିପରି ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ସ୍ୱତନ୍ତ୍ର ଭାଷାଭିତିକ ଓଡ଼ିଶା ପ୍ରଦେଶ ଗଠନ ପାଇଁ ବ୍ୟାସକବି ଫକୀରମୋହନ ସେନାପତି, ଉକ୍ରଳଗୌରବ ମଧୁସୂଦନ ଦାସ, କବିବର ରାଧାନାଥ ରାୟ ପ୍ରମୁଖଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ । ବାହାନଗା ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ପାଇଁ ଆଗେଇ ଆସିଥିବା ସ୍ଥାନୀୟ ଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ପାଇଁ ମାନ୍ୟବର ମନ୍ତ୍ରୀ ବାହାନଗାବାସୀଙ୍କ ସହିତ ଜିଲ୍ଲା ପ୍ରଶାସନର ଭୁରି ଭୁରି ପ୍ରସଂଶା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମ ରାଜ୍ୟରେ ଏବେ ବିକାଶର ଧାରା ଜାରି ରହିଥିବା ବେଳେ ଆମ ରାଜ୍ୟର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବିକାଶ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଥିବା ସେ କହିଥିଲେ । ୫-ଟି ଉପକ୍ରମରେ ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ସୃଷ୍ଟି କରାଯାଇଥିବା ଶୈକ୍ଷିକ ପରିବେଶ, ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରାଜ୍ୟରେ ଲକ୍ଷ- ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରାଯାଇଥିବା, ମୋ ଘର ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଇତ୍ୟାଦି ଉପରେ ଆଲୋକପାତ କରି ଏହା ଦ୍ୱାରା ରାଜ୍ୟର ପ୍ରଗତିର ଧାରା ବେଶ ଆଗକୁ ଯାଇପାରିଥିବା ସେ କହିଥିଲେ । ବାଲେଶ୍ୱର ଜିଲ୍ଲାରେ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଏବଂ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଦ୍ୱାରା ଜିଲ୍ଲା ତଥା ରାଜ୍ୟର ପ୍ରଗତି ତ୍ୱରାନ୍ୱିତ ହୋଇପାରିଥିବା ମାନ୍ୟବର ମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।


ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦତାତ୍ରୟ ଭାଉସାହେବ ଶିନ୍ଦେ, ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ସାଗରିକା ନାଥ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଲ ମୋତିରାମ ଚୌହାନଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇଟି ପୋଲିସ କଂଟିଜେଣ୍ଟ, ଗୋଟିଏ ପୋଲିସ ବ୍ୟାଣ୍ଡ, ଏନ.ସି.ସି ଓ ସିଭିଲିଆନ ଦଳ ମିଶାଇ ମୋଟ ୪୫ଟି ପ୍ଲାଟୁନ ଅଂଶଗ୍ରହଣ କରିଥିଲେ । ରିଜର୍ଭ ଇନସପେକ୍ଟର ଶ୍ରୀ ବିରେନ କୁମାର ବେହେରା ମାର୍ଚ୍ଚ ପାଷ୍ଟର ନେତୃତ୍ୱ ନେବା ସହିତ ମୁଖ୍ୟ ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ସେକେଣ୍ଡ-ଇନ-କମାଣ୍ଡ ଶ୍ରୀ ରାଜୀବ ମାର୍ଣ୍ଡି । ଜିଲ୍ଲାସ୍ତରୀୟ ସମାରୋହ ଅବସରରେ ବିଭିନ୍ନ ବର୍ଗର ୧୩ ଜଣ ଯଥା ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ ଜିଲ୍ଲାରେ ଶ୍ରେଷ୍ଠ ହୋଇ ଥିବା ଜଣେ ସଫଳ ଵୃତ୍ତିଧାରୀ, ୨ଜଣ ବରିଷ୍ଠ ସାମ୍ବାଦିକ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ୫ ଜଣ କୃତୀ ଛାତ୍ରଛାତ୍ରୀ, ଜାତୀୟ ସ୍ତରରେ ପଦକ ହାସଲ କରିଥିବା ୩ ଜଣ କ୍ରୀଡ଼ାବିତ, ୨ ଜଣ ସଫଳ ଏନ.ସି.ସି କ୍ୟାଡେଟଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିବା ଏନ.ସି.ସି, ସ୍କାଉଟ ଗାଇଡ଼ ଏବଂ ସିଭିଲିଆନ ଦଳମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଟ୍ରୁପମାନଙ୍କୁ ଶିଲ୍ଡ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ମାନ୍ୟବର ମନ୍ତ୍ରୀ ପ୍ୟାରେଡ଼ ପଡ଼ିଆରେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ରୋଗୀ କଲ୍ୟାଣ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କରାଯାଇଥିଲା । ନେହେରୁ ଯୁବ କେନ୍ଦ୍ର ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଅନୁରୂପ ଭାବେ ରୋଟାରୀ କ୍ଲବ ବାଲେଶ୍ୱର ତରଫରୁ ରାଣୀପାଟଣା ସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଆୟୋଜନ ହୋଇଥିଲା ଓ ହ୍ୟାଣ୍ଡିକେପଡ ୱେଲଫେୟାର ଇନଷ୍ଟିଚୁ୍ୟଟରେ ଫଳ ଓ କେକ୍ ବଣ୍ଟନ କରାଯାଇଥିଲା । ଲାୟନ୍ସ କ୍ଲବ, ବାଲେଶ୍ୱର ପକ୍ଷରୁ ଜିଲ୍ଲା କାରାଗାରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ବାଲେଶ୍ୱର ପୌରପାଳିକା ତରଫରୁ ଉତ୍କଳ ବାଳାଶ୍ରମରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ବାଲେଶ୍ୱର ପୌରାଞ୍ଚଳରେ ରାମଧୂନ ପରିବେଷଣ କରାଯାଇଥିଲା । ସକାଳେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନମାନଙ୍କରେ ପତାକା ଉତ୍ତୋଳନ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ପୌରାଞ୍ଚଳ ଅବସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅପରାହ୍ନ ଘ୩ଟା ରେ ପରମିଟ ପଡ଼ିଆ ଠାରେ ନାଗରିକ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୁର୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନ ଘ.୪ଟା ସମୟରେ ଜିଲ୍ଲା ପ୍ରଶାସନରେ କାର୍ଯ୍ୟରତ ବିଭିନ୍ନ ମହିଳା ଅଧିକାରିଣୀ, ସାମ୍ବାଦିକା, ସମାଜସେବିକାମାନଙ୍କୁ ନେଇ ମ୍ୟୁଜିକ ଚେୟାର ପ୍ରତିଯୋଗିତା ହୋଇଥିଲା । ସନ୍ଧ୍ୟା ଘ. ୬ ଘଟିକା ସମୟରେ ଗାନ୍ଧୀସ୍ମୃତି ଭବନ ଠାରେ ସ୍କୁଲ ଓ କଲେଜ ସ୍ତରର ବିଭିନ୍ନ ପ୍ରତିଯୋଗିତାର କୄତ୍ତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ସହ ମହିଳାମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତାର ବିଜୟିନୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ ଯୋଗଦାନ କରିଥିଲେ । ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଭାଗୀତା କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ଵିନୀ ରାଉତ। କାର୍ଯ୍ୟକ୍ରମ ପରିଚାଳନାରେ ପୁରୁଷୋତମ ସେଠୀ, ରାହୁଲ ସିଂ, ସତ୍ୟସାଗର ମଣ୍ଡଳ, କାର୍ତ୍ତିକ ବେହେରା, ମାଳତୀ କିସ୍କୁ, ସୁଚିସ୍ମିତା ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post