ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ


ବୌଦ୍ଧ, (ସୁଶାନ୍ତ କୁମାର ବେହେରା) : ଅଜି ଅପରାହ୍ନରେ ରାଜ୍ୟ ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ଜିଲ୍ଲାକୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ମିଳିଥିବା ଅନୁଦାନ ର ସମୀକ୍ଷା କରିଥିଲେ । ନିର୍ମାଣାଧିନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହିତ ଯେଉଁ ପ୍ରକଳ୍ପ ଗୁଡିକ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ ତାହାର କାରଣ ସଂପର୍କରେ ପଚାରି ବୁଝିବା ସହ ତୁରନ୍ତ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣାଧିନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ତୁରନ୍ତ ସମାପ୍ତ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ପତ୍ର ଯୋଗେ ଅବଗତ କରାଇବାକୁ ଉପନିର୍ଦ୍ଦେଶକ ଜିଲ୍ଲା ଯୋଜନା ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ରେ ଚାଲିଥିବା ମେଗା ପ୍ରକଳ୍ପ ଓ ମେଗା ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟ,ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ପାଇଁ ନିର୍ମାଣାଧିନ ଛାତ୍ରାବାସ, ଧାନମଣ୍ଡି ପରିଚାଳନା ସଂପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ଜିଲାକୁ ମିଳିଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ,ସାଂସଦ ଓ ବିଧାୟକ ପାଣ୍ଠି,ସ୍ପେଶାଲ ପ୍ରୋବ୍ଲେମ ଅନୁଦାନ,କ୍ରିଟିକାଲ ଗେପ ଅନୁଦାନ ଓ ସ୍ପେଶାଲ ଡେଭଲପ୍‌ମେଣ୍ଟ ପ୍ରୋଗାମ ସଂପର୍କରେ ମନ୍ତ୍ରୀ ଶ୍ରୀଢୋଲକିଆ ସମୀକ୍ଷା କରି ତୁରନ୍ତ ପ୍ରକଳ୍ପ ଗୁଡିକ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀଢୋଲକିଆ ନିର୍ମାଣାଧିନ ତିନିଶହ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହିତ କ୍ଷେତ୍ର ପରିଦର୍ଶନ କରି ଠିକାସଂସ୍ଥାର କର୍ମକର୍ତ୍ତା ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଆସନ୍ତା ମାର୍ଚ୍ଚ ୫ ତାରିଖ ପୂର୍ବରୁ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ । ଏହି ଅବସରରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ,ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଉପଜିଲ୍ଲାପାଳ ରବିନ୍ଦ୍ର କୁମାର କହଁର,ପୁର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସ,ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ,ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅଭୟ କୁମାର ଦାଶ,ଉପନିର୍ଦ୍ଦେଶକ ଜିଲ୍ଲା ଯୋଜନା ଓ ସମନ୍ୱୟ ବିଭାଗ ଇ. ସୋରେଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post